ଓଡ଼ିଆ ସିନେମା: ଆଜି ବି ଦର୍ଶକ ପାଇଁ କରୁଛି ସଂଘର୍ଷ

Sharing

ଆଜିକୁ ଠିକ୍ ୮୪ ବର୍ଷ ପୂର୍ବେ ଓଡ଼ିଆ ସିନେମାର ଜନ୍ମ । ଏହି ୮୪ ବର୍ଷ ମଧ୍ୟରେ ଓଡ଼ିଆ ସିନେମାର ବହୁ ପରିବର୍ତନ ଆସିଛି । ଏହି ମଧ୍ୟରେ କେତେ କଳାକାର ଆସିଛନ୍ତି ଓ ଯାଇଛନ୍ତି ମଧ୍ୟ । ସେମାନଙ୍କ ଅବଦାନ ପାଇଁ ଆଜି ଓଡ଼ିଆ ସିନେମା ନିଜ ୮୪ବର୍ଷ ପୂର୍ତି କରିପାରିଛି । ତେବେ ଆଜି ଏହି ଓଡ଼ିଆ ସିନେମା ସମ୍ପର୍କରେ କିଛି ସବିଶେଷ ତଥ୍ୟ ଉପରେ ଜାଣିବା…..

୧୯୩୬ ମସିହାରେ ଓଡ଼ିଆ ସିନେମାର ହୋଇଥିବା ଉତ୍ପତି । ମୋହନ ସୁନ୍ଦର ଦେବ ଗୋସ୍ୱମୀ ଯେ କି ଏହାର ସୃଷ୍ଟି କର୍ତା କହିଲେ ଅତୃକ୍ତି ହେବ ନାହିଁ । ମୋହନ ସୁନ୍ଦର ଗୋସ୍ୱମୀ ଯେ କି ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ସିନେମା “ସୀତା ବିବାହ” କରିଥିଲେ । ଯାହା ଏକ ପୌରାଣିକ କାହାଣୀ ରାମ ଓ ସୀତଭାଙ୍କ ବିବାହ ଉପରେ ଥିଲା ପର୍ଯ୍ୟବେଶିତ । ସେତେବେଳେ ସେ ମାତ୍ର ୩୦ ହଜାର ଟଙ୍କାରେ ଏହି ଫିଲ୍ମଟିକୁ ନିର୍ମାଣ କରିଥିଲେ । ଏହି ଫିଲ୍ମଟି ପ୍ରଥମେ ପୁରୀର ଲକ୍ଷ୍ମୀ ଟକିଜ୍ ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ କାମ କରିଥିବା ସମସ୍ତ ଆଟିଷ୍ଟ ଖୁବ୍ କମ୍ ବେତନ ନେଇଥିଲେ । ଏହାପରେ କହିବାକୁ ଗଲେ ଓଡ଼ିଆ ସିନେମା ଏକ ପ୍ରକାରର ବନ୍ଦ ହୋଇଯାଇଥିଲା । ଅର୍ଥାତ୍ ଏହି ଫିଲ୍ମ ରିଲିଜ୍ ହେବାର ଦୀର୍ଘ ୧୫ ବର୍ଷ ପରେ ଆଉ ଏକ ଫିଲ୍ମ ଆସିଥିଲା । ୧୯୫୧ ମସିହାରେ ଓଡ଼ିଆ ସିନେମା ଜଗତରେ ପ୍ରଥମ କରି ଏକ ଇଂରାଜୀ ନାମରେ “ଟୁ ଏଇଟ୍‌” ଏକ ଫିଲ୍ମ ରିଲିଜ୍ ହୋଇଥିଲା । ଏହି ଫିଲ୍ମକୁ ନିର୍ମାଣ କରିବାକୁ ୧୯୪୮ରୁ କାମ ଆରମ୍ଭ ହୋଇଥିଲେ ବି ଆଥିôର୍କ ସମସ୍ୟା କାରଣରୁ ଫିଲ୍ମ ରିଲିଜ୍ ହେବା ପାଇଁ ସମୟ ଲାଗିଥିଲା ।

ଏହାପରେ ୧୯୬୦ ମସିହାରେ ଓଡ଼ିଆ ସିନେମାରେ ଏକ ବଡ଼ ପରିବର୍ତନ ଆସିଥିଲା ବୋଲି କହିଲେ ଭୁଲ ହେବନି । କାରଣ ସେହିବର୍ଷ ପ୍ରଥମ କରି ଓଡ଼ିଆ ଫିଲ୍ମକୁ ନ୍ୟାସନାଲ ଆୱାର୍ଡ ମିଳିଥିଲା । ପ୍ରଫୁଲ୍ଲ ସେନଗୁପ୍ତାଙ୍କ ଫିଲ୍ମ “ଶ୍ରୀ ଲୋକନାଥ” କୁ ନ୍ୟାସନାଲ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏଥିସହ ବଲିଉଡର ମହାନାୟକ ପ୍ରଶାନ୍ତ ନନ୍ଦ ମଧ୍ୟ ଫିଲ୍ମ “ନୂଆ ବୋହୂ” ପାଇଁ ନ୍ୟାସନାଲ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଯାହା ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଇତିହାସ ସୃଷ୍ଟି କରିଥିଲା । ଏହାପରେ ପରେ ମଲ୍ଟି ଟ୍ୟାଲେଂଟେଡ୍ ଅଭିନେତା ପ୍ରଶାନ୍ତ ନନ୍ଦ ୩ଥର ନ୍ୟାସନାଲ ଆୱାର୍ଡରେ ଫିଲ୍ମ “ନୂଆ ବୋହୂ”, “ମାଟିର ମଣିଷ” ଓ “ଅଦିନ ମେଘ” ପାଇଁ ସମ୍ମାନିତ ହୋଇଥିଲେ ।

ଏହାପରେ ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ମହମ୍ମଦ ମୋହସିନ୍ ଙ୍କ ସମୟରେ ଆସିଲା ଓଡ଼ିଆ ସିନେମାର ଏକ ବିପ୍ଳବ । କାରଣ ତାଙ୍କର ସମୟରେ ଓଡିଆ ଇଣ୍ଡଷ୍ଟ୍ରୀ ଏକ ପ୍ରକାରର ପରିବର୍ତନ ଆସିଲା । ଯାହାକୁ ଦର୍ଶକ ଅଧିକ ମାତ୍ରାରେ ଭଲ ପାଇବା ଦେଇଥିଲେ । ଯେଉଁଥିପାଇଁ ତାଙ୍କ ସମୟକୁ ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ । ମହମ୍ମଦ ମୋହସିନ୍ ବଲିଉଡ ରେ କାମ କରିବା ପରେ ଓଲିଉଡରେ ନିଜର ଅଭିନୟର ଜଲୱା ଦେଖାଇଥିଲେ । ଫିଲ୍ମ “ଫୁଲ ଚନ୍ଦନ” ରେ ସେ ପ୍ରଥମ କରି ନିର୍ଦ୍ଦେଶକ ଭୂମିକା ତୁଲାଇବା ସହ ଅଭିନୟ କରିଥିଲେ । ଏଥିପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ଆୱାର୍ଡରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା । ଫିଲ୍ମର କାହାଣୀରେ ମଧ୍ୟ ଏକ ବଡ଼ ପରିବର୍ତନ ଆଣିଥିଲେ ସେ । ଯେଉଁଥିପାଇଁ ଦର୍ଶକଙ୍କ ଓଡ଼ିଆ ସିନେମା ପ୍ରତି ଆକୃଷ୍ଟତା ଦେଖିବାକୁ ମିଳିଥିଲା । ସେ ନିଜ ଫିଲ୍ମ କ୍ୟାରିଅର ମଧ୍ୟରେ ୧୬ ଟି ବକ୍ସ ଅଫିସ ଫିଲ୍ମ ନିର୍ମାଣ କରିଥିଲେ ।

ଆଉ ଜଣେ ହେଉଛନ୍ତି ଅମୀୟ ରଞ୍ଜନ ପଟ୍ଟନାୟକ, ଯେ କି ଓଡ଼ିଆ ସିନେମା ପରିବର୍ତନର ସୂତ୍ରଧାରା । ସେ ନିର୍ଦ୍ଦେଶକ ଭାବେ ଫିଲ୍ମ “ମମତା ମାଗେ ମୂଲ” ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଓଡ଼ିଆ ସିନେମାରେ ସେ ବଡ଼ ପରିବର୍ତନ ଆଣିଥିଲେ । ସେ ପ୍ରଥମ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ବଡ଼ ବଜେଟ୍ ର ଫିଲ୍ମ ନିର୍ମାଣ କରିଥିଲେ । ଯେଉଁଥିପାଇଁ ସେ ଓଡ଼ିଶା ବାହାରୁ ଅର୍ଥାତ୍ ଚେନ୍ନାଇ ଓ ମୁମ୍ବାଇରୁ ନିଜ ଫିଲ୍ମ ପାଇଁ ମ୍ୟୁଜିସିଆନ୍‌, ଟେକ୍ନିସିଆନ୍‌, ସିଙ୍ଗରକୁ ଆଣିଥିଲେ । ଏହାସହିତ ବହୁ ନୂଆ କଳାକାରଙ୍କୁ ନିଜ ଫିଲ୍ମରେ ସାମିଲ କରିଥିଲେ । ତାଙ୍କ ପ୍ରଯୋଜକ ଫିଲ୍ମ “ହାକିମ ବାବୁ” ୧୯୮୫ରେ ନ୍ୟାସନାଲ ଆୱାର୍ଡରେ ସମ୍ମାନିତ ହୋଇଥିଲା । ଏହାବ୍ୟତୀତ ସେ ଫିଲ୍ମରେ ଏକାଧିକ ସୁପରଷ୍ଟାରଙ୍କୁ ନେଇ ମଧ୍ୟ କାମ କରିଥିଲେ । ଯାହା ଓଡ଼ିଆ ସିନେମାର ଏକ ନୂତନ ଯୁଗ ସୃଷ୍ଟି କରିଥିଲା । ଏହାବ୍ୟତୀତ ସେ ଓଡ଼ିଆ ଫିଲ୍ମକୁ ପ୍ରଥମ କରି ୩ଟି ଭାଷାରେ ଯଥା: ଓଡ଼ିଆ, ବେଙ୍ଗଲୀ ଓ ବାଙ୍ଗାଲାଦେଶୀ ରେ ରିଲିଜ୍ କରିଥିଲେ । ଏହାସହ ସେ ପ୍ରଥମ କରି ବାୟୋପିକ୍ ମଧ୍ୟ କରିଥିଲେ । ଓଡ଼ିଆ ସିନେମା ଜଗତରେ ପ୍ରଥମ କରି ସେ ତୁଳସୀ ମୁଣ୍ଡାଙ୍କ ଜୀବନ କାହାଣୀକୁ ନେଇ “ତୁଳସୀ ଅପା” ନିର୍ମାଣ କରିଥିଲେ । ଯାହା ଆନ୍ତର୍ଜାତୀୟ ସ୍ତରରେ ସଫଳତା ମଧ୍ୟ ହାସଲ କରିଥିଲା ।

ଏହାପରେ ୯୦ ଦଶକରେ ଓଡ଼ିଆ ସିନେମାର ଆଉ ଏକ ପରିବର୍ତନ ଆସିଥିଲା । ଯେଉଁ ସମୟରେ ଓଲିଉଡ ସୁପରଷ୍ଟାର ଉତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଭଳି କଳାକାର ମାନେ ନିଜ ଅଭିନୟରେ ଓଡ଼ିଆ ସିନେମାରେ ଏକ ବଡ଼ ପରିବର୍ତନ ଆଣିଥିଲେ । ଯାହା ଦର୍ଶକଙ୍କ ମନ ବେଶ୍ କିଣିପାରିଥିଲା । ଏହାପରେ ୯୦ ଦଶକ ପରେ ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ହର ପଟ୍ଟନାୟକ ଭଳି କଳାକାରମାନେ ଓଡ଼ିଆ ସିନେମାକୁ ଆଉ ଏକ ଯୁଗରେ ପରବର୍ତନ କରିଥିଲେ । ଏହାବ୍ୟତୀତ ସେତେବେଳେ ପ୍ରଯୋଜକ ତଥା ନିର୍ଦ୍ଦେଶକ ବସନ୍ତ ନାୟକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ବର୍ତମାନ ବହୁ ନୂଆ ତେହେରା ଦେଖିବାକୁ ମିଳୁଛି । ଯାହା ଇଣ୍ଡଷ୍ଟ୍ରୀ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି । ପ୍ରଯୋଜକ ସୀତାରାମ ଅଗ୍ରୱାଲ, ଅକ୍ଷୟ ପରିଜା, ପ୍ରଦ୍ୟୁମ୍ନ ଲେଙ୍କା. ଯାଗୀ ମଙ୍ଗତ ପଣ୍ଡା. ପ୍ରଭାଂଶୁ ସାମନ୍ତରାୟ ଭଳି ବ୍ୟକ୍ତିବିଶେଷ ବର୍ତମାନ ଓଡ଼ିଆ ସନେମାରେ ସୃଷ୍ଟି କରିଛନ୍ତି ଏକ ନୂତନ ଅଧ୍ୟାୟ ।

ବର୍ତମାନ ଓଡ଼ିଆ ସିନେମା କଥା କହିବାକୁ ଗଲେ, ପୂର୍ବ ଏବଂ ବର୍ତମାନ ମଧ୍ୟରେ ବହୁ ଫରକ ଦେଖିବାକୁ ମିଳୁଛି । ଏବେ ଅଭିନୟର ଧାରା ପରିବର୍ତନ ହେବା ସହ ଫିଲ୍ମରେ କାମ କରୁଥିବା କଳାକାରମାନେ ଭିନ୍ନ କରିବାକୁ ଚେଷ୍ଟା ଚଳାଇଛନ୍ତି । ଫିଲ୍ମ ନୂଆ କାହାଣୀ ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଫିଲ୍ମରେ ମନ ଛୁଇଁଲା ଭଳି ସଙ୍ଗୀତ ରଖାଯାଉଛି, ଯାହା ଫିଲ୍ମ ରିଲଜ୍ ପୂର୍ବରୁ ଦର୍ଶକ ମନ କିଣୁଛି । ଯେଉଁଥିପାଇଁ ଫିଲ୍ମ ରିଲିଜ୍ ସମୟରେ ଦର୍ଶକଙ୍କୁ ସିନେମା ଘରକୁ ଟାଣିବାରେ ସହାୟକ ସୃଷ୍ଟି କରୁଛି ।

ଆଜି ଓଡ଼ିଆ ସିନେମାକୁ ୮୪ବର୍ଷ ପୂର୍ତି ହୋଇଯାଇଥିଲେ ବି ବିଶ୍ୱରେ ଚାଲିଥିବା କରୋନା ମହାମାରୀ ପାଇଁ ଏହି ଦିନଟିକୁ ନିରାଡମ୍ବରରେ ପାଳନ କରାଯାଉଛି । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ବହୁ କଳାକାର ଏଭଳି ଅଛନ୍ତି , ଯେଉଁମାନେ କରୋନା ପାଇଁ ଦୀର୍ଘ ୨ମାସ ହେବ କାମ ଧନ୍ଦା ନ ପାଇ ଭୋକ ଉପାସରେ ଦିନ କାଟୁଛନ୍ତି । ଏହାସହିତ ସିନେମା ଘରେ ମଧ୍ୟ ଫିଲ୍ମ ଦେଖିବାକୁ ମିଳୁନାହିଁ । ଏଭଳି ସ୍ଥିତି ୧୯୯୯ ମହାବାତ୍ୟାରେ ମଧ୍ୟ ଦେଖିବାକୁ ମିଳିଥିଲା । ମହାବାତ୍ୟା ଯୋଗୁଁ କିଛି ସନେମା ହଲ ଭାଙ୍ଗ ପଡିଥିଲା, ଲୋକମାନେ ରୋଜଗାର ନ ପାଇ ଭୋକ ଉପାସରେ ଦିନ କାଟୁଥିଲେ । ତେବେ ତାହାର ସମାଧାନ ହୋଇଯାଇଥିଲା । ମାତ୍ର କରୋନାର ସ୍ଥିତି ଯେଉଁ ମାତ୍ରାରେ ବୃଦ୍ଧି ପାଉଛି, ତେବେ ତାହା କେବେ ଶେଷ ତାହା ନେଇ ସନ୍ଦେହ । ଯଦି ଏଭଳି ସ୍ଥିତି ଆଗକୁ ରହିବ, ତେବେ ବହୁ ତଳିଆ କଳାକାର ଅସୁବିଧାର ସମ୍ମୁଖୀନ ହେବେ ।

ଓଡ଼ିଆ ସିନେମାରେ ଏତେ ପରିବର୍ତନ ହେବା ସତ୍ୱେ ମଧ୍ୟ ଆଜି ବି ଦର୍ଶକଙ୍କ ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ । ତେବେ କିଛି ସିନେମାରେ କିଛି ନୂଆ କାହାଣୀ ରହୁଛି, ଯାହାକୁ ଦର୍ଶକ ଦେଖିବାକୁ ପସନ୍ଦ କରୁଛନ୍ତି । ମାତ୍ର ଏବେ ବି ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କ ମନରେ ସେତେଟା ଇଚ୍ଛାଶକ୍ତି ନାହିଁ । ଓଡ଼ିଆ ଦର୍ଶକ ଯେତିକି ମାତ୍ରାରେ ବଲିଉଡ ଓ ହଲିଉଡ ଫିଲ୍ମ ଦେଖିବା ପାଇଁ ଇଚ୍ଛା କରୁଛନ୍ତି ସେହି ମାତ୍ରାରେ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ନୁହେଁ । ତେବେ ଏହାର କାରଣ ହେଉଛି, ଯେ ଓଡ଼ିଆ ଫିଲ୍ମ ବଲିଉଡ ହେଉ, ହଲିଉଡ କିମ୍ବା ଟଲିଉଡରୁ ବହୁ ମାତ୍ରାରେ କପି କରାଯାଉଛି । ଏହାସହ ଫିଲ୍ମର କାହାଣୀ ଗୋଟିଏ ପ୍ରକାରର ରହୁଛି । ତେବେ କାହାଣୀରେ ସେତେଟା ପରିବର୍ତନ ରହୁ ନଥିବାରୁ ଦର୍ଶକ ଦେଖିବା ପାଇଁ ଟିକେ ପଛଘୁଂଚା ଦେଉଛନ୍ତି । ତେବେ ଯଦି ଓଡିଆ ସିନେମାରେ ଏହି ସମସ୍ତ ଶୈଳୀରେ ପରିବର୍ତନ ହେବ ତେବେ ପରବର୍ତୀ ସମୟରେ ଓଡ଼ିଆ ସିନେମା ଆହୁରି ଉଚ୍ଚକୋଟିର ହୋଇପାରିବ ।