ଭାବ ବିହ୍ୱଳ ହେଲେ ବୁଦ୍ଧାଦିତ୍ୟ

Sharing

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଗତକାଲି ପୂରା ଦେଶରେ ଲୋକେ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇଥିଲେ। ସାମାଜିକ ଦୂରତ୍ୱ ମାଧ୍ୟମରେ କୋରାନା ଭାଇରସ୍‌କୁ ମାତ୍ ଦେବାକୁ ଏଭଳି ପଦକ୍ଷେପ ନିଆଯାଇଥିଲା, ଯାହା ସକାଳ ୭ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା। ଆଉ ଏହା ମଧ୍ୟରେ ଅପରାହ୍ନ ୫ଟାରେ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇବାକୁ ସମସ୍ତେ ଘରୁ ବାହାରି ତାଳି ମାରିଥିଲେ ଓ ଥାଳି ବଜାଇଥିଲେ। ସେହିପରି କେହି କେହି ଘଣ୍ଟି ଓ ଘଣ୍ଟ ବଜାଇଥିଲେ ତ ଆଉ କେହି କେହି ଶଙ୍ଖ ବି ଫୁଙ୍କି ଥିଲେ। ଅନ୍ୟମାନଙ୍କ ଭଳି ଅଭିନେତ୍ରୀ ଓ ଲେଖିକା ମାଳବିକା ରାୟ ଅପରାହ୍ନ ୫ଟାରେ ଘର ଛାତ ଉପରେ କିଛି ସମୟ ଘଣ୍ଟ ବଜାଇଥିଲେ। ଆଉ ସୋଶାଲ୍ ମିଡିଆରେ ଏହାର ଏକ ଭିଡିଓ ଶେଆର କରିଛନ୍ତି ତାଙ୍କ ପୁଅ ତଥା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି।

ଫେସବୁକରେ ବୁଦ୍ଧାଦିତ୍ୟ ଏହି ଭିଡିଓ ଶେଆର କରି କହିଛନ୍ତି, ଏହା ଏକ ଭାବବିହ୍ୱଳ ମୁହୂର୍ତ୍ତ। ଭାରତରେ ଆଗରୁ କେବେ ବି ଏମିତି ହୋଇନି। ବର୍ତ୍ତମାନ ଆମେ ସମସ୍ତେ ଏକ।

ସୂଚନାଯୋଗ୍ୟ, ଗତକାଲି ଜନତା କାର୍ଫ୍ୟୁକୁ ଓଲିଉଡର ଅନେକ କଳାକାର ସମର୍ଥନ କରିଥିଲେ। ଘରେ ରହି କିଛି କଳାକାର ଭିଡିଓ ଶେଆର କରିଥିଲେ ଓ ସମସ୍ତେ କରୋନା ଭାଇରସ କବଳରୁ ମୁକ୍ତି ପାଇବା ପାଇଁ ଘରେ ରୁହନ୍ତୁ ବୋଲି ନିବେଦନ କରିଥିଲେ।